ଭୁବନେଶ୍ୱରସ୍ଥିତ ୱାର୍ଲ୍ଡ ସ୍କିଲ୍ ସେଣ୍ଟର (WSC)କୁ କେନ୍ଦ୍ର କୌଶଳ ବିକାଶ ଓ ଉଦ୍ୟୋଗିତା ମନ୍ତ୍ରଣାଳୟ (MSDE) ପକ୍ଷରୁ 'ସେଣ୍ଟର ଅଫ୍ ଏକ୍ସଲେନ୍ସ-ସ୍କିଲ୍ସ' ମାନ୍ୟତା ମିଳିଛି।ଏହି ମାନ୍ୟତା ସହ ଜାତୀୟ ଢାଞ୍ଚାରେ ତାଲିକାଭୁକ୍ତ ୧୯ଟି ଅନୁଷ୍ଠାନ ମଧ୍ୟରେ ସ୍ଥାନ ପାଇଛି ଓଡ଼ିଶାର ଏହି ଅନୁଷ୍ଠାନ।ନଭେମ୍ବର ୨ରେ ନୂଆଦିଲ୍ଲୀର କୌଶଳ ଭବନରେ ଆୟୋଜିତ ସମାରୋହରେ MSDE ସଚିବ ଦେବଶ୍ରୀ ମୁଖାର୍ଜୀ WSC ସିଇଓ ରଶ୍ମି ରଞ୍ଜନ ମହାପାତ୍ରଙ୍କୁ ମାନ୍ୟତା ପ୍ରମାଣପତ୍ର ପ୍ରଦାନ କରିଥିଲେ।
ଏହି ମାନ୍ୟତା ୯ ଅକ୍ଟୋବର ୨୦୨୬ରୁ ୮ ଅକ୍ଟୋବର ୨୦୨୯ ପର୍ଯ୍ୟନ୍ତ ତିନି ବର୍ଷ ବୈଧ ରହିବ। ବହୁ-କ୍ଷେତ୍ରୀୟ ବର୍ଗରେ ଏହି ସ୍ୱୀକୃତି ମିଳିଛି।ଓଡ଼ିଶା ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଅଧୀନରେ ପ୍ରତିଷ୍ଠିତ WSC ଆଧୁନିକ ପ୍ରଯୁକ୍ତିଭିତ୍ତିକ ତାଲିମ ସୁବିଧା ଯୋଗାଇ ଦେଉଛି। ଏଠାରେ ପ୍ରାୟୋଗିକ ଶିକ୍ଷା, ଉନ୍ନତ ଦକ୍ଷତା ଓ ଶିଳ୍ପସଂସ୍ଥା ସହ ଯୋଗାଯୋଗ ଉପରେ ଗୁରୁତ୍ୱ ଦିଆଯାଏ।
ଏହି ସ୍ୱୀକୃତି ଅନୁଷ୍ଠାନର ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ବୋଲି WSC ସିଇଓ ମହାପାତ୍ର କହିଛନ୍ତି। ଏହା ଦେଶର ଦକ୍ଷତା ବିକାଶ ବ୍ୟବସ୍ଥାରେ ଅନୁଷ୍ଠାନର ଅବଦାନକୁ ଆହୁରି ବଢ଼ାଇବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।ଏହି ଢାଞ୍ଚା ଅଧୀନରେ ମାନ୍ୟତାପ୍ରାପ୍ତ ଅନୁଷ୍ଠାନଗୁଡ଼ିକ ବିଶେଷ ତାଲିମ, ଦକ୍ଷତା ମୂଲ୍ୟାୟନ, ମାର୍ଗଦର୍ଶନ, କ୍ୟାରିୟର ପରାମର୍ଶ ଏବଂ ପ୍ରଶିକ୍ଷକ ଓ ମୂଲ୍ୟାୟନକାରୀଙ୍କ କ୍ଷମତା ବିକାଶ କାର୍ଯ୍ୟକ୍ରମ ଆୟୋଜନ କରିବେ।
ଓଡ଼ିଶାର ୱାର୍ଲ୍ଡ ସ୍କିଲ୍ ସେଣ୍ଟରକୁ 'ସେଣ୍ଟର ଅଫ୍ ଏକ୍ସଲେନ୍ସ' ମାନ୍ୟତା

